
ସ୍କୁଲ କଲେଜ ସମନ୍ଵୟ ସମିତି ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟ ବ୍ୟାପି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଥିବା ବେଳେ ନୂଆପଡ଼ା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ନୂଆପଡ଼ା ସ୍କୁଲ କଲେଜ ସମନ୍ଵୟ ସମିତି ତରଫ ରୁ ନୂଆପଡ଼ା ସଦର ମହକୁମା ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ରେ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଥିଲେ । ଏହି ଅବସରରେ ଏକ ଛଅ ଦଫା ଦାବି ପତ୍ର ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିଥିଲେ । ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ବରିଷ୍ଠତା ଓ ୬ଟି ନେସନାଲ ଇନକ୍ରୀମେନ୍ଟ ପ୍ରଦାନ ,ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କୁ ଅନୁଦାନ ପ୍ରଦାନ ,ଅବସର ବୟସ ସୀମା ୬୦ରୁ ୬୨ ବର୍ଷ କୁ ବୃଦ୍ଧି ଭଳି ଦାବି ଉପସ୍ଥାପନ କରିଥିଲେ l ଏହି ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରି ଥିବା ଦାବି ପୂରଣ ନହେଲେ ଆଗାମୀ ୧୬ ତାରିଖ ଦିନ ଭୁବନେଶ୍ଵର ଗାନ୍ଧୀମାର୍ଗ ରେ ରାଜ୍ୟ ର ହଜାର ହଜାର ଶିକ୍ଷକ ଧାରଣା ଦେବା ସହ ଆସନ୍ତା ଗୁରୁ ଦିବସ କୁ କଳା ଦିବସ ରୂପେ ପାଳନ କରିବେ ବୋଲି ଶିକ୍ଷକ ସମୂହ ଚେତାବନୀ ଦେଇଛନ୍ତି ।






